୩ରୁ ବଢ଼ିବ ଶୀତ

ଘଟଣା ୦୧: ୩ରୁ ବଢ଼ିବ ଶୀତ

 ଦାରିଙ୍ଗବାଡିରେ ରାତି ତାପମାତ୍ରା ହ୍ରାସ ପାଉଛି। ଦୁଇଦିନ ହେଲା ଏଠାରେ ସର୍ବନିମ୍ନ ତାପମାତ୍ରା କମୁଛି। ଫଳସ୍ୱରୂପ ଅଞ୍ଚଳରେ ସ୍ୱାଭାବିକ ଶୀତ ଅନୁଭୂତ ହେଉଛି। ଗତକାଲି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।

Daringbadi-02

ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ୩ ତାରିଖରୁ ଶୀତ ଲହରୀ ଅନୁଭୂତ ହୋଇପାରେ। ଏହାକୁ ନେଇ ପାଣିପାଗ ବିଭାଗ କେତେକ ଜିଲାକୁ ସତର୍କ ସୂଚନା ଜାରି କରିଛି। ଶନିବାର ସକାଳେ ଅନୁଗୋଳ, ଭବାନୀପାଟଣା, କୋରାପୁଟ ଏବଂ ଫୁଲବାଣୀରେ ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ଭୁବନେଶ୍ବରରେ ହାଲୁକା କୁହୁଡି ପଡିଛି। ସକାଳ ୯ଟା ପର୍ଯ୍ୟନ୍ତ ପାଗ କୋହଲା ରହିଥିଲା। ପବନ ବହିବା ସହିତ ଶୀତ ମଧ୍ୟ ଅନୁଭୂତ ହେଉଥିଲା।


Daringbadi


ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଟିଟିଲାଗଡରେ ସର୍ବନିମ୍ନ ତାପମାତ୍ରା ୧୦.୮ ଡିଗ୍ରୀ, ଭୁବନେଶ୍ବରରେ ୧୫.୪ ଡିଗ୍ରୀ ଏବଂ କଟକରେ ୧୫ ଡିଗ୍ରୀ ସେଲସିୟସ୍‌ ରାତି ତାପମାତ୍ରା ରେକର୍ଡ କରାଯାଇଛି।




ଘଟଣା ୦୨: ୨୩ ଟି ପ୍ରମୁଖ ଘଟଣା


୧. ପୂର୍ବତଟ ରେଳବାଇ ଅର୍ନ୍ତଗତ ହାୱାଡାରୁ ଜଗଦଲପୁର ମଧ୍ୟରେ ଚଳାଚଳ କରୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ସୋମବାର ଠାରୁ ଚଳାଚଳ ଆରମ୍ଭ କରିବ।

୨. ରାଜ୍ୟରେ ରବିବାର ଗୋଟିଏ ଦିନରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି।

୩. ମହାମାରୀ ତୃତୀୟ ବର୍ଷରେ ପହଞ୍ଚିଥିବା ବେଳେ ୨୦୨୨ରେ ଏହା ଶେଷ ହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ ଆଶାବ୍ୟକ୍ତ କରିଛନ୍ତି।

୪. ପଶ୍ଚିମବଙ୍ଗରେ ବି ହୁ ହୁ ହୋଇ ବଢୁଛି ସଂକ୍ରମଣ। ଦିନକରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୩ ନୂଆ ଆକ୍ରାନ୍ତ। ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମମତା ସରକାର ରାଜ୍ୟରେ କଡା କୋଭିଡ୍ କଟକଣା ଜାରି କରିଛନ୍ତି। ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ୍, କଲେଜ ଓ ୟୁନିଭର୍ସିଟି।

୫. ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଘରୋଇ ଦକ୍ଷି ଆଫ୍ରିକା ୧୭ ଜଣିଆ ଦଳ ଘୋଷଣା କରିଛି।

୬. ସୋମବାରଠୁ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ, କୋଓ୍ଵିନରେ ରେଜିଷ୍ଟର କରିସାରିଲେଣି ୬ ଲକ୍ଷ।

୭. ଚାଇନାର ୟୁନାନ୍‌ ପ୍ରଦେଶର ନିଙ୍ଗଲାଙ୍ଗ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ରବିବାର ଅପରାହ୍ନରେ ଅନୁଭୂତ ହୋଇଛି। 

୮. ବିଳମ୍ବରେ ଟିକା ନେବେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ। ପରୀକ୍ଷା ଥିବାରୁ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ ବିଳମ୍ବରେ ଟିକା ନେବେ। ଜାନୁଆରୀ ୮ ତାରିଖ ପରେ ଦଶମ ଏବଂ ୧୧ ତାରିଖ ପରେ ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଯିବ।

୯. ରାଜ୍ୟର ଦୈନିକ କୋଭିଡ୍ ସଂକ୍ରମଣ ହଠାତ୍ ୪୨% ବଢ଼ିଯାଇଛି। ଗତକାଲି ରାଜ୍ୟରେ ୨୯୮ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏ ସଂଖ୍ୟା ୪୨୪ରେ ପହଞ୍ଚିଛି।

୧୦. ମୁମ୍ବାଇରେ କରୋନା ଅନିୟନ୍ତ୍ରିତ : ଦୈନିକ ମାମଲା ଆଠ ହଜାର ପାର, ମହାରାଷ୍ଟ୍ରରେ ୧୧ ହଜାରରୁ ଅଧିକ ସଂକ୍ରମିତ। 

୧୧. UP ବିଧାନସଭା ନିର୍ବାଚନ: ସର୍ଭେକ୍ଷଣରୁ ଆସିଲା ଚମକାଇଲା ଭଳି ତଥ୍ୟ, ସପାକୁ ପାଖାପାଖି ୧୫୦, ବିଜେପିକୁ ମିଳିବ ୨୫୦ରୁ ବି କମ ଆସନ।

୧୨. ରବିବାର ଦିନ ଦକ୍ଷିଣ ଆଫ୍ରିକାର ସଂସଦ ଗୃହରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି।

୧୩. ରାଜଧାନୀ ଦିଲ୍ଲୀରୁ ୨୪ ଘଣ୍ଟାରେ ୩୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଏବଂ ଜଣକର ମୃତ୍ୟୁ ହୋଇଛି। 

୧୪. ଉତ୍ତରପ୍ରଦେଶର ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ।

୧୫. ଜମ୍ମୁ କାଶ୍ମୀର: ସୁରକ୍ଷା ବଳଙ୍କ ଗୁଳିରେ ନିହତ ଆତଙ୍କୀ ନିକଟରୁ ପାକିସ୍ତାନୀ ପଇସା ଓ ସିମ୍ କାର୍ଡ ଜବତ।

୧୬. ଓଡ଼ିଶାର ଅଳସୀ ମଞ୍ଜି ଉପରେ ଆଖି ପକାଉଛି ପଡୋଶୀ: କୋରାପୁଟ ଜିଲ୍ଲାର ଗାଁ ଗାଁ ବୁଲି ମଞ୍ଜି ସଂଗ୍ରହ କରୁଛନ୍ତି ଆନ୍ଧ୍ର ଦଲାଲ।

୧୭. ଗତକାଲି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

୧୮. ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ୨ସପ୍ତାହ ପାଇଁ ଅଦାଲତରେ ସମସ୍ତ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ।

୧୯. ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୭ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୫ ହଜାର ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।

୨୦. ଓମିକ୍ରନକୁ ହରାଇବା ସହ ଟିକା ପ୍ରଭାବକୁ ୮୮%କୁ ବୃଦ୍ଧି କରିବ ତୃତୀୟ ଡୋଜ: ବ୍ରିଟେନ।

୨୧. ଶୀତରେ ଥରିବ ଓଡ଼ିଶା: ପାଣିପାଗ ବିଭାଗର ସତର୍କ ସୂଚନା, ପଶ୍ଚିମ ଓଡ଼ିଶାରେ ଶୀତ ଲହରୀ।

୨୨. ନୂଆ ବର୍ଷରେ ନୂଆ ଝଲକ୍‌ରେ ନଜର ଆସିବେ ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗ୍‌ଡେ। ବଡ ପରଦାରେ ଆସିବ ରାଧା କ୍ରିଷ୍ଣା କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରାଧେ ଶ୍ୟାମ’ । ଚଳିତ ମାସ ୧୪ ତାରିଖରେ ରିଲିଜ୍‌ ହେବ।

୨୩. ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ନୂଆ ମୁଖିଆ ।

  • ରାଜ କୁମାର ଶର୍ମା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
  • ସଂଜୀବ ଚୋପ୍ରା- ଅତିରିକ୍ତ ମୁଖ୍ୟ ଶାସନ ସଚିବ କୃଷି ଉତ୍ପାଦନ କମିଶନର, ପୂର୍ବପରି ସେ ଗୃହ ବିଭାଗ ଦାୟିତ୍ଵରେ ରହିବେ।
  • ମଧୁସୂଦନ ପାଢୀ- ପ୍ରିନସପାଲ ସଚିବ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ
  • ସତ୍ୟବ୍ରତ ସାହୁ- ପ୍ରିନସପାଲ ସଚିବ ରାଜସ୍ଵଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ରଂଜନା ଚୋପ୍ରା- ଏସଟି ଏସି ଉନ୍ନୟନ ପ୍ରିନସପାଲ ସଚିବ ସହିତ ତାଙ୍କୁ ଏମଏସଏମଇ ର ଅତିରିକ୍ତ ଦାୟିତ୍ଵ ପ୍ରଦାନ
  • ହେମନ୍ତ ଶର୍ମା-ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ, ସେ ପୂର୍ବପରି ତାଙ୍କର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଇପିକଲର ଅଧ୍ୟକ୍ଷ ରହିବେ।
  • ବିଷ୍ଣପଦ ସେଠୀ- ସ୍କୁଲ ଓ ଗଣଶିକ୍ଷା ବିଭାଗର  ପ୍ରିନସପାଲ ସଚିବ ଏଥିସହିତ ବାଣିଜ୍ୟ ଓ ପରିବହନ ସହିତ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ଦାୟିତ୍ଵ
  • ସୁରେଶ ବୈଷିଷ୍ଠ-ଅଫିସର ଅନ ସ୍ପେଶାଲ ଡିୟୁଟି , ସାଧାରଣ ପ୍ରଶାସନ ବିଭାଗ।
  • ଭାସ୍କରଜ୍ୟୋତି ଶର୍ମା- ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ, ସେ ପୂର୍ବପରି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଦାଟିତ୍ଵରେ ରହିବେ।
  • ଭୂପେନ୍ଦ୍ର ସିଂ ପୁନଲା- ଇଡିକୋର ଏମଡି ଭାବେ ଅତିରିକ୍ତ ଦାୟିତ୍ବ, ସେ ପୂର୍ବ ପରି  ଏମଡି ଇପିକୋଲ, ଏମଡି ଓଏଫଡିସିରେ କାର୍ଯ୍ୟ କରିବେ।

ଘଟଣା ୦୩ : ବରମୁଣ୍ଡା ଫ୍ଲାଏଓଭର୍‌ରେ ଅଘଟଣ: ଟ୍ରକ୍‌ ଧକ୍କାରେ ଯୁବକ ମୃତ

`ଭୁବନେଶ୍ୱର : ରବିବାର ବିଳମ୍ବିତ ରାତିରେ ୧୬ନଂ ଜାତୀୟ ରାଜପଥ ବରମୁଣ୍ଡା ନିକଟରେ ଅଜଣା ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଇଛି।
ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୧୨ଟାରେ ଖୋର୍ଦ୍ଧା ପଟକୁ ଯାଉଥିବା ଏକ ଟ୍ରକ୍ ବରମୁଣ୍ଡା ଫ୍ଲାଏଓଭର୍‌ରେ ରାସ୍ତା ପାର ହେଉଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଯୁବକଜଣଙ୍କ କିଛି ଫୁଟ୍ ଦୂରକୁ ଛିଟକି ପଡ଼ିଥିଲେ। ତାଙ୍କ ମୁଣ୍ଡ ରାସ୍ତାରେ ମାଡ଼ ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛି।
 
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସବୁ ଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥ ପ୍ରାଧିକରଣ ଫ୍ଲାଏଓଭର୍‌କୁ ଆଲୋକୀକରଣ କରୁ ନଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଅନ୍ଧାର ଯୋଗୁଁ ଗାଡ଼ି ଚାଳକ ରାସ୍ତା ଜାଣି ପାରୁନାହାନ୍ତି। ସୂଚନାଯୋଗ୍ୟ, ଦୀର୍ଘ ମାସ ହେଲା ବରମୁଣ୍ଡାରୁ ଫ୍ଲାଏଓଭର୍‌ ରାସ୍ତା ଅନ୍ଧାରରେ ରହିଛି।

ଘଟଣା ୦୪: ଆଜିଠୁ ପଶ୍ଚିମବଙ୍ଗରେ ସବୁ ଶିକ୍ଷାକେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନକୁ ନେଇ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରାତ୍ରିକଟକଣା, ତାଲାବନ୍ଦ ଆଦି ଲାଗୁ ହୋଇଛି। ଏହି କ୍ରମରେ ପଶ୍ଚିମବଙ୍ଗ ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ-ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛନ୍ତି । ଏହା ସହିତ ସ୍ପା, ସାଲୁନ, ବିୟୁଟି ପାର୍ଲର, ଚିଡିଆଖାନା, ଉଦ୍ୟାନ ଆଦିକୁ ମଧ୍ୟ ବନ୍ଦ କରାଯାଇଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡିକୁ ୫୦% କର୍ମଚାରୀଙ୍କୁ ଖୋଲିବାକୁ ପରାମର୍ଶ ଦିଆଯାଇଛି। ଅବଶିଷ୍ଟ ୫୦% କର୍ମଚାରୀଙ୍କୁ ଘରେ ରହି କାମ କରିବା (ୱାର୍କ ଫ୍ରମ୍ ହୋମ)କୁ ପରାମର୍ଶ ଦିଆଯାଇଛି । ସେହିପରି ସମସ୍ତ ପ୍ରଶାସନିକ ବୈଠକକୁ ଆଭାସି ମାଧ୍ୟମରେ ଆୟୋଜନ କରିବାକୁ ମୁଖ୍ୟ ଶାସନ ସଚିବ ଏଚ୍‌କେ ଦ୍ବିବେଦୀ ନିର୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାଧାରଣ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ। ଲୋକାଲ ଟ୍ରେନଗୁଡିକ ୫୦% ଯାତ୍ରୀଙ୍କୁ ନେଇ ଚଳାଚଳ କରିବ। ପଶ୍ଚିମବଙ୍ଗରୁ ନୂଆଦିଲ୍ଲୀ ମଧ୍ୟରେ ସପ୍ତାହକୁ ଦୁଇଥର ବିମାନ ଚଳାଚଳ କରିବ। ସିନେମାହଲ (ପ୍ରେକ୍ଷାଳୟ), ବାର୍‌, ଭୋଜନାଳୟଗୁଡିକ ୫୦% କ୍ଷମତାରେ ଖୋଲିବ।

ଘଟଣା ୦୫: ଦିଲ୍ଲୀ, ମୁମ୍ବାଇରେ ଦ୍ରୁତ ସଂକ୍ରମଣ ଜାରି: ଆଗକୁ ଆହୁରି କଠୋର କଟକଣା, ଦିଲ୍ଲୀରେ ସଂକ୍ରମଣ ହାର ୪.୫୯ରେ ପହଞ୍ଚିଲା

ନୂଆଦିଲ୍ଲୀ: କରୋନାର ଅତି ଦ୍ରୁତ ସଂକ୍ରମଣ ଏବେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଜାରି ରହିଥିବା ଦେଖିବାକୁ ମିଳିଛି। ଏହି ତିନି ସହରରେ ଯେଉଁ ହାରରେ ସଂକ୍ରମଣ ବଢ଼ୁଛି ତାହା ତୃତୀୟ ଲହର ଆରମ୍ଭର ସଙ୍କେତ ବୋଲି କୁହାଯାଉଛି। ଆଜି ଦିଲ୍ଲୀରେ ୩୧୯୪ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ମୁମ୍ବାଇରେ ୮ ହଜାରରୁ ଅଧିକ ମାମଲା ଏବଂ କୋଲକାତାରେ ୩ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । ବିଗତ ୮ ଦିନ ମଧ୍ୟରେ ଏହି ତିନି ସହରରେ ହୋଇଥିବା ନୂଆ ସଂକ୍ରମଣର ଏକ ଆକଳନରୁ ଜଣାପଡ଼ିଛି ଯେ ୨୫ରୁ ୨୯ ଆୟୁବର୍ଗର ଅଧିକାଂଶ ସଂକ୍ରମିତ ହେଉଛନ୍ତି। ପ୍ରଥମ ଲହରରେ ୫୦ ବର୍ଷରୁ ଅଧିକ ବୟସ ବର୍ଗର ଲୋକେ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଦ୍ୱିତୀୟ ଲହରରେ ୩୫ରୁ ୪୦ ବର୍ଷର ଲୋକେ ଅଧିକ ସଂଖ୍ୟାରେ ପ୍ରଭାବିତ ହୋଇଥିଲେ। ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ଭୟ ସୃଷ୍ଟି କରିଛି। ସଂକ୍ରମଣ ହାର ୪.୫୯ ପ୍ରତିଶତରେ ପହଞ୍ଚି ଥିବାରୁ ଆଗକୁ ଏହା ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି । ଆଜି କେରଳରେ ପ୍ରାୟ ୩ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଟେଷ୍ଟିଂ ଓ ବଢ଼ାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି।


ଓମିକ୍ରନ୍‌ ଭାରିଏଣ୍ଟରୁ ସୁରକ୍ଷିତ ରୁହନ୍ତୁ। ସଠିକ ଭାବେ ମାସ୍କ ପିନ୍ଧନ୍ତୁ। କୋଭିଡ୍ ଟୀକାର ଉଭୟ ଡୋଜ ନିଅନ୍ତୁ। ନିୟମିତ ଭାବେ ହାତ ସଫା କରନ୍ତୁ। ଭିଡ ସ୍ଥାନରୁ ଦୂରେଇ ରୁହନ୍ତୁ। 

0 Comments